ଧୂଳିଆ ବୋଡ଼ା (ଇଂରାଜୀରେ Echis ବା saw-scaled vipers ବା carpet vipers[୨]) ଭାଇପରିନାଏ ପରିବାରର ଏକ ବିଷାକ୍ତ ସାପ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆ ଓ ଆଫ୍ରିକାର ଶୁଷ୍କ ଅଞ୍ଚଳରେ ଏହି ସାପ ଦେଖାଯାନ୍ତି । ଶତ୍ରୁକୁ ଡରାଇବା ପାଇଁ ଏହି ସାପ ନିଜ ଦେହର କାତିକୁ ପରସ୍ପର ସହିତ ଘଷି ଏକ ଶବ୍ଦ ସୃଷ୍ଟି କରେ ଯାହା ଏହାର ସ୍ୱାତନ୍ତ୍ର୍ୟ ।[୩] ଏହି ସାପର ଇଂରାଜୀ ନାମ ଏକିସ୍ (Echis) ଗ୍ରୀକ୍ ଭାଷାରେ ବୋଡ଼ା ସାପ ପାଇଁ ବ୍ୟବହୃତ ଶବ୍ଦ ἔχιςର ଲାଟିନ୍ ରୂପରୁ ଗୃହୀତ । ସାଧାରଣତଃ ଏହି ସାପକୁ ଇଂରାଜୀ ଭାଷାରେ "ସ-ସ୍କେଲ୍ଡ୍ ଭାଇପର୍ (saw-scaled vipers)" ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ହେଉଥିବା ସାପ କାମୁଡ଼ା ଓ ମୃତ୍ୟୁ ଘଟଣାମାନଙ୍କରେ ଧୂଳିଆ ବୋଡ଼ା ଏକ ବଡ଼ ଅଂଶୀଦାର ।[୪] ଧୂଳିଆ ବୋଡ଼ା ପରିବାରର ୧୨ଟି ପ୍ରଜାତି ଅଦ୍ୟାବଧି ଚିହ୍ନଟ ହୋଇଛି ।[୫]
ଧୂଳିଆ ବୋଡ଼ା ସାପ ଆକାରରେ ଛୋଟ । ଏମାନଙ୍କ ପରିବାରର ସବୁଠାରୁ ବଡ଼ ପ୍ରଜାତିଗୁଡ଼ିକ ହେଲେ – ଧଳା-ପେଟ ଧୂଳିଆ ବୋଡ଼ା (Echis leucogaster) ଓ ମିଶରୀୟ ଧୂଳିଆ ବୋଡ଼ା (Echis pyramidum) ଓ ଏମାନଙ୍କ ଦୈର୍ଘ୍ୟ ୯୦ ସେଣ୍ଟିମିଟରରୁ କମ୍ । ସବୁଠାରୁ ଛୋଟ ଧୂଳିଆ ବୋଡ଼ା ପ୍ରଜାତି ହେଲେ – ହ୍ୟୁଗ୍ ଧୂଳିଆ ବୋଡ଼ା (Echis hughesi) ଓ ୟୋଗର୍ ଧୂଳିଆ ବୋଡ଼ା (Echis jogeri) ଓ ଏହି ଦୁଇ ପ୍ରଜାତିର ସାପଙ୍କ ଦୈର୍ଘ୍ୟ ୩୦ ସେଣ୍ଟିମିଟର ପାଖାପାଖି ।
ଧୂଳିଆ ବୋଡ଼ାର ମୁଣ୍ଡ ଛୋଟ ଓ ସାମାନ୍ୟ ଚଉଡ଼ା । ମୁଣ୍ଡ ଚଉଡ଼ା ହୋଇଥିବାରୁ ଶରୀରରେ ବେକ ଓ ମୁଣ୍ଡ ସ୍ପଷ୍ଟ ଭାବେ ବାରି ହୁଏ । ମୁହଁ ପାଖଟି ଛୋଟ ଓ ଅର୍ଦ୍ଧ ଗୋଲାକାର । ମୁଣ୍ଡର ଅନ୍ୟ ଅଂଶ ଅନୁପାତରେ ଆଖିଗୁଡ଼ିକ ସାମାନ୍ୟ ବଡ଼ । ଶରୀରଟି ପତଳା ଓ ସିଲିଣ୍ଡରାକୃତି । ଏହାର କାତି ଗୁଡ଼ିକ ଛୋଟ ଛୋଟ କଣ୍ଟା ପରି । କାତିଗୁଡ଼ିକ କରତ ଧାର ପରି ତେରଛା ଭାବେ ରହିଥିବାରୁ ଏହାକୁ ଇଂରାଜୀ ଭାଷାରେ Saw-scaled viper – କରତ ଧାର ପରି କାତିଯୁକ୍ତ ବୋଡ଼ା ବୋଲି କୁହାଯାଇଥାଏ । ଏହି ସାପର ଲାଞ୍ଜଟି ଛୋଟ ।[୩]
ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲ୍ ପୁସ୍ତକରେ ବର୍ଣ୍ଣିତ ଭୟଙ୍କର ଉଡ଼ନ୍ତା ସର୍ପ (fiery flying serpent) ଏହି ଧୂଳିଆ ବୋଡ଼ା ସାପ ହୋଇଥିବା ଅନୁମାନ କରାଯାଏ ।[୬]
ଧୂଳିଆ ବୋଡ଼ା ପାକିସ୍ତାନ, ଭାରତ (ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ, ଓଡ଼ିଶା), ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆ ଓ ଆଫ୍ରିକା ମହାଦେଶରେ ବିଷୁବ ରେଖାର ଉତ୍ତରସ୍ଥ ଅଞ୍ଚଳରେ ଦେଖାଯାନ୍ତି ।[୧]
ଧୂଳିଆ ବୋଡ଼ାର ସମସ୍ତ ପ୍ରଜାତି ନିଜ ଶତ୍ରୁକୁ ଡରାଇବା ପାଇଁ ଅନେକ ଅର୍ଦ୍ଧ ଚନ୍ଦ୍ରାକାର କୁଣ୍ଡଳୀରେ ଗୁଡ଼ାଇ ହୋଇଯାନ୍ତି ଓ ଶରୀରକୁ ହଲାନ୍ତି । କାତିଗୁଡ଼ିକ ପରସ୍ପର ସହିତ ଘଷି ହୋଇ ଏକ ସ୍ୱତନ୍ତ୍ର “କର୍ କର୍” ଶବ୍ଦ କରନ୍ତି । ଦୁଇଟି ପାନିଆକୁ ଘଷିଲେ ଏପ୍ରକାରର ଶବ୍ଦ ସୃଷ୍ଟି ହୁଏ । କିଛି ଲେଖକ ଏହି ଶବ୍ଦ ଗରମ ତାଟିଆରେ ପାଣି ଛିଞ୍ଚିଲେ ସୃଷ୍ଟି ହେଉଥିବା ଶବ୍ଦ ପରି ବୋଲି କହିଛନ୍ତି ।[୨][୩] ଶରୀରର ଅଙ୍ଗର ଘର୍ଷଣରୁ ଏପରି ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାକୁ ଷ୍ଟାରାଇଡ୍ୟୁଲେସନ୍ (stridulation) ବୋଲି କୁହନ୍ତି ।[୭] ଧୂଳିଆ ବୋଡ଼ାର ବିରକ୍ତି ଭାବ ବଢ଼ିଲେ ସେ ଏହି ଶବ୍ଦ ଅଧିକ ହୋଇଥାଏ । ଅନ୍ୟ ସାପ ସୁଁ ସୁଁ ଶବ୍ଦ କରିବା ଦେଖାଯାଏ ଓ ସୁଁ ସୁଁ ଶବ୍ଦ କରିବା ବେଳେ କିଛି ମାତ୍ରାରେ ଶରୀରର ଜଳୀୟ ଅଂଶ ଖର୍ଚ୍ଚ ହୋଇଥାଏ । ଶୁଷ୍କ ପରିବାସରେ ବାସ କରୁଥିବା ଧୂଳିଆ ବୋଡ଼ା ଜଳୀୟ ଅଂଶର ବ୍ୟୟକୁ ନିୟନ୍ତ୍ରିତ କରିବା ପାଇଁ ଏପରି କରୁଥିବା କିଛି ସର୍ପ ବିଜ୍ଞାନୀ ବିଶ୍ୱାସ କରନ୍ତି ।[୩] କିନ୍ତୁ ଆଉ କିଛି ସର୍ପ ବିଜ୍ଞାନୀଙ୍କ ମତରେ ଧୂଳିଆ ବୋଡ଼ା କାତିଘଷା ଶବ୍ଦ ସହ ସୁଁ ସୁଁ ଶବ୍ଦ ମଧ୍ୟ କରିଥାଏ ।[୭]
ଅର୍ଦ୍ଧ-ଚନ୍ଦ୍ରାକାର କୁଣ୍ଡଳୀରେ ଥିବା ଅବସ୍ଥାରେ ଧୂଳିଆ ବୋଡ଼ାର ମୁଣ୍ଡ ଓ ଆଖି ଶତ୍ରୁ ବା ବିପଦ ଉପରେ କେନ୍ଦ୍ରିତ ଥାଏ । ସେହି ଅବସ୍ଥାରୁ ହିଁ ସାପ କାମୁଡ଼ିବାକୁ ଚେଷ୍ଟା କରିଥାଏ । କାମୁଡ଼ିବା ପାଇଁ ଚେଷ୍ଟା କଲାବେଳେ ସାପ ଭାରସାମ୍ୟ ହରାଇ ଅଳ୍ପ ଆଗକୁ ବା ଶତ୍ରୁ ଆଡ଼କୁ ବିସ୍ଥାପିତ ହୋଇଯାଏ । ଅନ୍ୟ ପ୍ରଜାତିର ସାପ କାମୁଡ଼ିବା ବେଳେ ଏପରି ବିସ୍ଥାପିତ ହେବା ଦେଖାଯାଏ ନାହିଁ ।[୨]
କିଛି ଧୂଳିଆ ବୋଡ଼ା ପ୍ରଜାତିଙ୍କ ଆହାର ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ । ଆହାର ସମ୍ବନ୍ଧୀୟ ତଥ୍ୟ ଜଣାଥିବା ଧୂଳିଆ ବୋଡ଼ାମାନେ କ୍ଷୁଦ୍ରାକାର ସ୍ତନ୍ୟପାୟୀ ପ୍ରାଣୀ, ଛୋଟ ପକ୍ଷୀ, ଅନ୍ୟାନ୍ୟ ସରୀସୃପ (ଏପରି କିଛି ପ୍ରଜାତିର ସାପ), ସମ୍ବାଳୁଆ, ବେଙ୍ଗ, ବୁଢ଼ିଆଣୀ, ଜିଆ, କୀଟପତଙ୍ଗ, କଙ୍କଡ଼ା ବିଛା ଇତ୍ୟାଦି ଜୀବଙ୍କୁ ଭକ୍ଷଣ କରିଥାନ୍ତି ।[୨][୩]
ଆଫ୍ରିକା ମହାଦେଶରେ ଦେଖାଯାଉଥିବା ଅଧିକାଂଶ ଧୂଳିଆ ବୋଡ଼ା ଅଣ୍ଡା ଦେଉଥିବା ବେଳେ ଭାରତୀୟ ଧୂଳିଆ ବୋଡ଼ା କ୍ଷୁଦ୍ର ସାପମାନଙ୍କୁ ଜନ୍ମ ଦେଇଥାଏ ।[୨][୩]
ଧୂଳିଆ ବୋଡ଼ାର ବିଷରେ ସ୍ନାୟୁ କ୍ଷୟକାରୀ (Neurotoxin), ମାଂସପେଶୀ କ୍ଷୟକାରୀ (cardiotoxin), ରକ୍ତ କ୍ଷୟକାରୀ (hemotoxin) ଓ କୋଷିକା କ୍ଷୟକାରୀ (cytotoxin) ତତ୍ତ୍ୱ ଥାଏ । କ୍ରାନ୍ତୀୟ ଅଞ୍ଚଳରେ ଏହି ସାପକୁ ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ନିତାନ୍ତ ଦରକାରୀ ବୋଲି କୁହାଯାଇଛି । ଅନ୍ଧାରରେ ଏହି ସାପ ଖୁବ୍ ସକ୍ରିୟ ଥାଏ ଓ ସେହି ସମୟରେ ସର୍ବାଧିକ ସାପ କାମୁଡ଼ା ଦୁର୍ଘଟଣା ଘଟିଥାଏ ।[୩]
ଧୂଳିଆ ବୋଡ଼ା ବିଷ ପ୍ରଭାବରେ ରକ୍ତ ଜମାଟରେ ଅସଙ୍ଗତତା ଦେଖା ଦେଇ ଡିଆଇସି ପରି ଅବସ୍ଥା ସୃଷ୍ଟି ହୁଏ ଓ ଏହା କିଛି ଦିନ ବା ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏପରି ଅବସ୍ଥାରେ ଶରୀରର ଯେକୌଣସି ସ୍ଥାନରେ ରକ୍ତସ୍ରାବ ହୋଇପାରେ ଓ ରକ୍ତକ୍ଷୟ ଜନିତ ମୃତ୍ୟୁ ଘଟିପାରେ । ସାପ କାମୁଡ଼ାର ଅଳ୍ପ କିଛି ଦିନ ମଧ୍ୟରେ ଏହା ଘଟିପାରେ ।[୮]
ପ୍ରଜାତି, ଭୌଗୋଳିକ ଅବସ୍ଥିତି, ଲିଙ୍ଗ, ବିଷ ସଞ୍ଚରଣ ପ୍ରକ୍ରିୟା ଓ ଋତୁ ଅନୁସାରେ ଧୂଳିଆ ବୋଡ଼ାର ବିଷାକ୍ତତାରେ ବିବିଧତା ପରିଲକ୍ଷିତ ହୋଇଥାଏ । ତେଣୁ ଧୂଳିଆ ବୋଡ଼ା ପ୍ରଜାତିଙ୍କ LD୫୦ର ମାନରେ ମଧ୍ୟ ବିଭିନ୍ନତା ଦେଖିବାକୁ ମିଳେ । ଧୂଳିଆ ବୋଡ଼ା କାମୁଡ଼ିଥିବା ମୂଷା ଦେହରେ LD୫୦ ୨.୩ ମି.ଗ୍ରା./କି.ଗ୍ରା.ରୁ (U.S. Navy, 1991) ୨୪.୧ ମି.ଗ୍ରା./କି.ଗ୍ରା. (Christensen, 1955) ଓ ୦.୪୪-୦.୪୮ ମି.ଗ୍ରା./କି.ଗ୍ରା. (Cloudsley-Thompson, 1988) ଥିବା ଦେଖାଯାଇଛି । ୩-୫ ମି.ଗ୍ରା./କି.ଗ୍ରା. ମଣିଷଙ୍କ ପାଇଁ ଘାତକ ହୋଇପାରେ (Minton, 1967) । ଅଣ୍ଡିରାଙ୍କ ତୁଳନାରେ ମାଈଙ୍କ ବିଷର ମାନ ଦୁଇ ଗୁଣରୁ ଅଧିକ ବିଷାକ୍ତ ।[୩]
ବିଷ ପ୍ରସ୍ତୁତିର ହାର ମଧ୍ୟ ବଦଳୁଥାଏ । ୪୧-୫୬ ସେଣ୍ଟିମିଟର ଲମ୍ବା ସାପଠାରୁ ୨୦-୩୫ ମିଲିଗ୍ରାମ୍ ବିଷ କ୍ଷରିତ ହେଉଥିବା ବେଳେ[୯] ଏକ ଇରାନୀୟ ପ୍ରଜାତିର ସାପଠାରୁ ୬-୪୮ ମିଲିଗ୍ରାମ୍ (ହାରାହାରି ୧୬ ମିଲିଗ୍ରାମ୍) ବିଷ[୧୦] ଓ ଅନ୍ୟ ଅଞ୍ଚଳର ସାପଙ୍କଠାରୁ ୧୩-୩୫ ମିଲିଗ୍ରାମ୍ ବିଷ କ୍ଷରିତ ହୋଇଥାଏ ।[୧୧] ଋତୁ ଓ ଲିଙ୍ଗ ଅନୁସାରେ ବିଷ ପ୍ରସ୍ତୁତିରେ ତଫାତ ଦେଖାଦିଏ । ଗ୍ରୀଷ୍ମ କାଳରେ ଧୂଳିଆ ବୋଡ଼ା ସାପଙ୍କ ଶରୀରରେ ଅଧିକ ବିଷ ପ୍ରସ୍ତୁତ ହୁଏ । ଅଣ୍ଡିରାମାନଙ୍କ ଶରୀରରେ ମାଈମାନଙ୍କ ଅପେକ୍ଷା ଅଧିକ ବିଷ ପ୍ରସ୍ତୁତ ହୋଇଥାଏ ।[୩]
ଜୀବବିଜ୍ଞାନ ସମ୍ବନ୍ଧୀୟ ଅନ୍ୟ ଲେଖାରେ ପ୍ରଜାତିଙ୍କ ବର୍ଗୀକରଣ ବିଷୟରେ ନିମ୍ନ ତଥ୍ୟ ପ୍ରାପ୍ତ ହୋଇଛି :[୩][୧୨][୧୩]
ଧୂଳିଆ ବୋଡ଼ା (ଇଂରାଜୀରେ Echis ବା saw-scaled vipers ବା carpet vipers) ଭାଇପରିନାଏ ପରିବାରର ଏକ ବିଷାକ୍ତ ସାପ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆ ଓ ଆଫ୍ରିକାର ଶୁଷ୍କ ଅଞ୍ଚଳରେ ଏହି ସାପ ଦେଖାଯାନ୍ତି । ଶତ୍ରୁକୁ ଡରାଇବା ପାଇଁ ଏହି ସାପ ନିଜ ଦେହର କାତିକୁ ପରସ୍ପର ସହିତ ଘଷି ଏକ ଶବ୍ଦ ସୃଷ୍ଟି କରେ ଯାହା ଏହାର ସ୍ୱାତନ୍ତ୍ର୍ୟ । ଏହି ସାପର ଇଂରାଜୀ ନାମ ଏକିସ୍ (Echis) ଗ୍ରୀକ୍ ଭାଷାରେ ବୋଡ଼ା ସାପ ପାଇଁ ବ୍ୟବହୃତ ଶବ୍ଦ ἔχιςର ଲାଟିନ୍ ରୂପରୁ ଗୃହୀତ । ସାଧାରଣତଃ ଏହି ସାପକୁ ଇଂରାଜୀ ଭାଷାରେ "ସ-ସ୍କେଲ୍ଡ୍ ଭାଇପର୍ (saw-scaled vipers)" ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ହେଉଥିବା ସାପ କାମୁଡ଼ା ଓ ମୃତ୍ୟୁ ଘଟଣାମାନଙ୍କରେ ଧୂଳିଆ ବୋଡ଼ା ଏକ ବଡ଼ ଅଂଶୀଦାର । ଧୂଳିଆ ବୋଡ଼ା ପରିବାରର ୧୨ଟି ପ୍ରଜାତି ଅଦ୍ୟାବଧି ଚିହ୍ନଟ ହୋଇଛି ।